ଓଡ଼ିଆଙ୍କ ଝୁଙ୍କ
ସାଧାରଣତଃ ଅଧିକାଂଶ ଓଡ଼ିଆଙ୍କ ଝୁଙ୍କ ନଥିବା ମନେହୁଏ | ଯେଉଁଠି ଥାଏ, ସେଇଠି ଆମ ସଂକଳ୍ପ ଫଳାଫଳରେ ପ୍ରତିଫଳିତ ହେଇଥାଏ ; ଯେମିତି ମୟୁରଭଞ ରେ କେତେ ଗାଁ ର ଅସାଧାରଣ ପରିଷ୍କାର ପରିଛନ୍ନତା ଏବଂ ସାମାଜିକ ଶୃଙ୍ଖଳାରେ ; ଯେମିତି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଓଲ ଚିକି ଅକ୍ଷରରେ ; କୋରାପୁଟ କଫି ରେ |
ଝୁଙ୍କ ଶିଥିଳ ଥିଲେ ବା ଅନୁପସ୍ଥିତ ଥିଲେ ପରାଜୟ ଆମ ସାଥି ହୋଇଯାଏ | ଆନ୍ଧ୍ର ରେ ପ୍ରତି ହେକ୍ଟର ରେ ଦଶ ଟନ ଆମ୍ବ ଉତ୍ପାଦନ ହେଲାବେଳେ ଆମର ଚାରି ଟନ ହେଇଥାଏ |
ମୁଁ ଝୁଙ୍କ କୁ ଆତ୍ମ ଅଭିମାନର ଏକ ରୂପ ବୋଲି ଭାବେ | ଅନେକେ ଝୁଙ୍କ ର ଅନୁପସ୍ଥିତିରେ ବିଚଳିତ ହୁଅନ୍ତିନି | ଆମ ବୁଦ୍ଧିଜୀବୀ ଗୋଷ୍ଠୀର ସିଂହଭାଗ ସାଧାରଣତଃ ଏହି ଶ୍ରେଣୀର | ସେମାନେ ସାମାଜିକ, ଅର୍ଥନୈତିକ ପରିବର୍ତ୍ତନ ର ପଥ ପ୍ରଦର୍ଶକ ହେବାପାଇଁ ଆଗ୍ରହୀ ନୁହନ୍ତି | ବ୍ୟକ୍ତିଗତ ସ୍ୱାର୍ଥ ରକ୍ଷା ତାଙ୍କ ପାଇଁ ଅଧିକ ଗୁରୁତ୍ତ୍ୱପୂର୍ଣ |
ଗୋଟିଏ ଛୋଟ ଉଦାହରଣ ଏଇଠି ପ୍ରାସଙ୍ଗିକ ହେବ | ବନ୍ଧୁ ; କୃଷି ବିଶେଷଜ୍ଞ, ପ୍ରଭୁ ଚରଣ ଲେଙ୍କା ଓଡ଼ିଶାର ଆମ୍ବ ସମ୍ପଦ ବିଷୟରେ ଲେଖନ୍ତି | ମୋତେ ଭଲ ଲାଗେ | ସେ କେନ୍ଦୁଝର ଜିଲାର ତେଲକୋଇ ବ୍ଲକ ରେ ଆମ୍ବ ର ପ୍ରସାର ଏବଂ ବିଭିଧତା ସମ୍ପର୍କରେ ସୂଚନା ଦିଅନ୍ତି | ମୋ ମନରେ ଝୁଙ୍କ ଉଠେ ତେଲକୋଇ ର ଆମ୍ବକୁ ବିଦେଶ ପଠେଇବା ପାଇଁ ଯୋଜନା ଆରମ୍ଭ କରିବାକୁ |
ଯୋଜନାର ଏକ ଛୋଟ ରୂପରେଖ ତିଆରି କରି ମୁଁ ପ୍ରଭୁ ଲେଙ୍କାଙ୍କୁ ପଠେଇଲି | ସେ କହିଲେ ସେ ମୋ ସାଙ୍ଗରେ ଆଲୋଚନା ପାଇଁ ଘରକୁ ଆସିବେ | ଜଣେ ବନ୍ଧୁଙ୍କ ସହିତ ଆସିଲେ | ତେଲକୋଇ ର ବାସିନ୍ଦା , ଓଡିଶା ପ୍ରଶାସନର ଜଣେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଫିସର ; ଜଣେ ଅଗ୍ରଣୀ ଆମ୍ବ ଚାଷୀ -- ସଦାନନ୍ଦ ନାୟକ |
ଦିହେଁ ତେଲକୋଇର ବର୍ତ୍ତମାନ ଆମ୍ବ ଚାଷ ସମ୍ପର୍କରେ ସୂଚନା ଦେଲେ | ମୁଁ ଆଶ୍ଚର୍ଯ୍ୟ ହେଲି | ତଦାନୀନ୍ତନ କେନ୍ଦୁଝର ଜିଲାପାଳ ଜଗଦାନନ୍ଦଙ୍କ ଝୁଙ୍କ ବିଷୟରେ କହିଲେ | ସେଇ ଝୁଙ୍କ ଆଜି ଏକ ଏକ ସାମାଜିକ ପ୍ରବାହର ରୂପ ନେଇଛି | କିନ୍ତୁ ମୁଁ ତାଙ୍କୁ କହିଲି ଏହି ପ୍ରବାହକୁ ଅଧିକ ମୂଳ୍ୟଭିତ୍ତିକ କରିବାକୁ ହେବ | ଆମେ ଆଲୋଚନା କଲୁ |
କେନ୍ଦୁଝର ଜିଲାରେ ଖଣିଜ ସମ୍ପଦ ସଂକ୍ରାନ୍ତୀୟ ବିକାଶ ପାଣ୍ଠିରେ ହଜାର ହଜାର କୋଟି ଟଙ୍କା ରହିଛି | ଅଥଚ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଏହି ପାଣ୍ଠିର ସାମାନ୍ୟ କିଛି ଅଂଶ ବିନିଯୋଗ କରିବା ପାଇଁ ବ୍ୟଗ୍ରତା ନାହିଁ | ଏହା ସମ୍ଭବ | ରପ୍ତାନି ପାଇଁ ଆବଶ୍ୟକ କେନ୍ଦ୍ର, ସରଞ୍ଜାମ ଇତ୍ୟାଦି ସବୁ କିଛି ବର୍ଷେ ଦିବର୍ଷ ଭିତରେ ହେଇ ପାରିବ | କେଶର ଜାତିର ଆମ୍ବ ଗଛର ପ୍ରସାର ଦୁଇ ବର୍ଷରେ ହେଇ ପାରିବ | ତେଲକୋଇ ରୁ ବର୍ଷକୁ ଅନ୍ତତଃ ଦୁଇ ହଜାର ଟନ ଉନ୍ନତ ଧରଣର ଆମ୍ବ ବିଦେଶ କୁ ରପ୍ତାନି ସମ୍ଭବ | ଝୁଙ୍କ ଆବଶ୍ୟକ |
କାଲିର ଆଲୋଚନା ପରେ ମୋର ହୃଦବୋଧ ହେଲା ଝୁଂକର ଅଙ୍କୁରୋଦଗମ ହେଇଚି | ପ୍ରଭୁ ବାବୁ ଏବଂ ସଦାନନ୍ଦ ବାବୁ ଏହାକୁ ଆଗେଇନେବେ |
…..